ନିମନ୍ତ୍ରଣ
ଭୋର ୪ଟା ରୁ ଦାଶ ଵାଵୁ ଧଡପଡ ହୋଇ ଉଠି ପଡିଲେ, ଦେଖିଲା ଵେଳକୁ ସ୍ତ୍ରୀ ସଜ ବାଜ ହୋଇ କିଛି କାମରେ ଵ୍ୟସ୍ତ। ସାମନ୍ୟ ଚିଡି ଯାଇ କହିଲେ ମୋତେ କାହିଁକି ଡାକିଲନି ! ମୀତା ଦେଵୀ ହସି ହସି କହିଲେ ବହୁତ ସମୟ ଅଛି, ତୁମେ ନିତ୍ୟକର୍ମ ସାରି ପକାଅ। ତୁମେ ୫ ଟା ସୁଦ୍ଧା ତିଆରି ହେଇଯାଅ,ଆମେ ୬.୩୦ ବେଳକୁ ପହଞ୍ଚି ପାରିବା, ମୁଁ ରଵିନନା ଙ୍କୁ ଫୋନ୍ କରି ଦେଇଛି, ସେ ଆମକୁ ଅପେକ୍ଷା କରିଥିବେ।
ସଵୁ କାମ ସାରି ଦାଶ ବାବୁ ତଳକୁ ଓହ୍ଲାଇ ଦେଖିଲେ ଘରର ସବୁ ସଦସ୍ୟମାନେ ହଲରେ ଅପେକ୍ଷା କରି ରହିଥାନ୍ତି। ଆଶ୍ଚର୍ଯ୍ୟ ହୋଇ ପଚାରିଲେ ଏ କ'ଣ, ଆମେ ତ ଦି ଜଣ ଯାଇଥାନ୍ତେ, ଏଠି କ'ଣ ପୁରା ପଲଟଣ। ଦାଶ ବାବୁ ଙ୍କ ଶାଶୁ ଵାହାରି କହିଲେ, ପୁଅ କାଲି ରାତିରେ ମୁଁ ମିତା କୁ କହିଲି, ଏ ସୁଯୋଗ ଆଉ କେବେ ମିଳିବ କି ନାହିଁ, ତା ଡୋରି କେଵେ ଲାଗିବ କି ନାହିଁ, ପୁରା ପରିବାର କୁ ନେଇ ତାକୁ ନିମନ୍ତ୍ରଣ କରିଯିବା,ସେଥି ପାଇଁ ଆମେ ସମସ୍ତେ ତିଆରି ହୋଇ ବସିଛୁ।
ଦାଶ ବାବୁ ସ୍ମିତ ହାସ୍ୟ ଦେଇ କହିଲେ ଆଛା ଚାଲ, ତା ର ଡୋରି ଲାଗିଲା। ଝିଅ, ଜ୍ୱାଇଁ, ଦି ପୁଅ, ସାନ ଝିଅ, ଆଈ, ଦାଶ ବାବୁ ଆଉ ମିତା ଦେଵି ଵାହାରି ପଡିଲେ ଶ୍ରୀକ୍ଷେତ୍ର ଅଭିମୁଖେ। ବଡ ପୁଅର ଵାହାଘର ଆସନ୍ତା ୨୫ ତାରିଖ ରେ, ତେଣୁ ପୂଜାରୀ ନନା ଙ୍କ ନିର୍ଦ୍ଦେଶ ଅନୁସାରେ ଦାଶ ପରିବାର ବାହିରିଛନ୍ତି କାଳିଆ କୁ ନିମନ୍ତ୍ରଣ ଦେବା ପାଇଁ, ପ୍ରଥମେ ତାଙ୍କୁ ଡାକି ସାରିଲା ପରେ ଅନ୍ୟ ଆଡେ ଵୁଲିବାକୁ ପଡିବ। ସେଥିପାଇଁ ମିତା ଦେଵି ନଡ଼ିଆ, ଗୁଆ, ପାନ, ଫୁଲ, ଫଳ, ଭୋଗ, ତୁଳସୀ, ଚନ୍ଦନ, ମାଳ ଆଉ ପାଟ କନାରେ ଆଵୃତ ଜକମକିଆ ନିମନ୍ତ୍ରଣ ପତ୍ର ଟିକୁ ତାଙ୍କ କୋଳରେ ଥୋଇ ପୁରୀ ପହଞ୍ଚିଲେ। ଆଜିକାଲିର ନିମନ୍ତ୍ରଣ ପତ୍ର ଗୁଡିକ କେବଳ ପତ୍ର ତ ନୁହଁ, ଗୋଟିଏ ଦାମିକା ଉପହାର ରେ ପରିଣତ ହୋଇଛି।
ଗାଡି ଵଡ ଦାଣ୍ଡରେ ପସିଲା ବେଳକୁ ରଵିନନା ହାତ ଠାରିଲେ। ଯାହା ହେଉ ଆଜି ଦିନଟି ଭଲରେ ବିତିବ, ତା କୃପାରୁ ନନା ମଧ୍ୟ ଠିକ୍ ସମୟରେ ହାଜର। ନନାଙ୍କୁ ସମସ୍ତେ ପ୍ରଣିପାତ ଜଣାଇ ଦେଉଳ ଆଡକୁ ତରତର ହୋଇ ଵାହାରିଲେ। ରବିନନା ଆଶ୍ଵାସନା ଦେଇ କହିଲେ, ଆଜି ଦୁଆର ଫିଟା ଟିକେ ଡେରି ହେବ, ତେଣୁ ଆରାମ ରେ ଚାଲନ୍ତୁ। ଦାଶ ବାବୁ ଟିକିଏ ଵ୍ୟସ୍ତ ହୋଇ କହିଲେ, ଆମେ କାମ ସାରି ଦଶ ଟା ସୁଦ୍ଧା ଫେରି ଗଲେ, ମୁଁ ଅଫିସ ଯିଵି, ତେଣୁ ନନା ଟିକେ ଆୟୋଜନ ଜଲ୍ଦି କରେଇଵେ।
ଆଞା ଅଫିସ ଆଜି ସଂଧ୍ୟାରେ କରିବେ ରବିନନା ଥଟ୍ଟା କରି କହିଲେ। ପୁଅ ଵୋହୂ ଙ୍କ ମଂଗଳ କାମନା କରି ଏତେ ଦୂରରୁ ସପରିବାର ସାଆନ୍ତ ଙ୍କୁ ନିମନ୍ତ୍ରଣ କରିବା ପାଇଁ ଆସିଛନ୍ତି ସେଥିରେ ପୁଣି ସମୟ ରେ କାର୍ପଣ୍ୟ କାହିଁକି। ଜଗା ଏବେ ନିଦରୁ ଉଠିନି, ଉଠିବ ଅବକାଶ ହେବ, ମଲମ ହେବ, ସିଂଘାର ହେବ, ବାଳ ଭୋଗ ଖାଇବ, ତା ପରେ ଦରବାର ଲଗେଇଦବ। ଆଉ ଆପଣ ଏବେଠୁ ଛାନିଆ ହେଲେଣି ଫେରି ବା ପାଇଁ।
ଆପଣ ନିତ୍ୟକର୍ମ କରୁଥିବା ସମୟରେ କ'ଣ କାହକୁ ଭେଟନ୍ତି?
ଦାଶ ବାବୁ ନନାଙ୍କ ମର୍ମ ଵୁଝିପାରିଲେ, କହିଲେ ହଁ ଆଞା, ଭୁଲ ଚିନ୍ତା କରି ଥିଲି, ନା ନା ଆଜି ଅଫିସ ବନ୍ଦ। ଏପରି କଥା ହୋଇ ସମସ୍ତେ ସିଂହ ଦ୍ଵାର ପର୍ଯ୍ୟନ୍ତ ପହଚିଁ ଗଲେ। ଜୟ ଜଗନ୍ନାଥ ଜୟ ଜଗଦୀଶ ରେ ଦାଣ୍ଡ ସାରା ପ୍ରକମ୍ପିତ ହେଉଥାଏ।
ରଵିନନା କହିଲେ ମୁଁ ସଵୁ ବ୍ୟବସ୍ଥା କରିସାରିଛି, ଆଜି ଆପଣ ମାନେ ଆନନ୍ଦ ରେ କାଳିଆ ର ସକାଳ ନୀତି ଦେଖିଵେ, ମହାପ୍ରସାଦ ପାଇବେ, ତା ପରେ ସ୍ବସ୍ଥାନ ଫେରିବା ହେଵେ। ସମସ୍ତେ ବାଈସି ପାହାଚ ଚଢି ମନ୍ଦିର ଭିତରକୁ ପ୍ରବେଶ କଲେ, ନନା ତାଙ୍କୁ ନେଇ ଗରୁଡ଼ ସ୍ତମ୍ଭ ପଛରେ ଵସିବା ପାଇଁ କହିଲେ। ଭଜନ, ଜଣାଣ, ଗୀତଗୋବିନ୍ଦ ଓ ହରିବୋଲ ହୁଳହୁଳି ରେ ଚର୍ତୁଦିଗ ଭାବମୟ ହେଉଥିଲା, ଦୁଆର ଫିଟା ହେଲା, ଆଗକୁ ଆଗକୁ ନିତି ବଢି ଚାଲିଲା। ମଝିରେ ନନା ଆସି କେତେ ବେଳେ ତୁଳସୀ, ଚନ୍ଦନ ତ କେତେବେଳେ ଆଳତି, କର୍ପୂର,ଝଡା ଫୁଲ ଆଣି ଦେଇ ଯାଉଥାନ୍ତି। ଵାଳ ଭୋଗ ବଢିଲା, ନନା ସମସ୍ତ ଙ୍କୁ ନେଇ ଭିତର କାଠ ଵାଡ ପର୍ଯ୍ୟନ୍ତ ନେଇଗଲେ, ଏଵେ ତିନି ଠାକୁରଙ୍କୁ ଏତେପାଖରେ ଦେଖି ସମସ୍ତେ ଵିଭୋର, ସମସ୍ତ ଙ୍କ ଆଖି ରେ ଅଶ୍ରୁଧାର।
ଥାଳିରେ ସଜାଥିବା ସାମଗ୍ରୀ ସହ ପାଟକନା ଗୁଡା ନିମନ୍ତ୍ରଣ ପତ୍ର ଟି ନେଇ ରଵିନନା ଗମ୍ଭିରା ଭିତରେ ପଶିଲେ।
ଗମ୍ଭୀରା ଭିତରେ ପାଦ ରଖୁ ରଖୁ ହଠାତ୍ ଥାଳି ମଝିରୁ ନିମନ୍ତ୍ରଣ ପତ୍ର ଟି ତଳେ ପଡିଗଲା। ଥାଳିରେ ଥିବା ଅନ୍ୟ ଜିନିଷପତ୍ର କୁ ସମର୍ପଣ କରି, ତଳେ ପଡିଯାଇଥିବା ନିମନ୍ତ୍ରଣ ପତ୍ର ଟି କାଖ ରେ ଜାକି ରବିନନା ବାହାରକୁ ଚାଲି ଆସିଲେ।
ଵେଢା ରେ ଥିବା ଅନ୍ୟ ଦେବା ଦେବୀ ଙ୍କ ଦର୍ଶନ ପରେ, ନନା ସମସ୍ତ ଙ୍କୁ କୋଈଲ ବୈକୁଣ୍ଠ କୁ ନେଇ ଗଲେ। ଆପଣ ମାନେ ଏଠି ବସିଥାନ୍ତୁ, ମୁଁ ଅବଢା ର ବନ୍ଦୋବସ୍ତ ଦେଖୁଛି କହି ଆନନ୍ଦ ବଜାର ଆଡକୁ ଚାଲିଗଲେ। କିଛି ସମୟ ପରେ ନନା ଅବଢା ନେଇ ଫେରିଲେ, ତାର ମହ ମହ ଵାସନା ରେ ସମସ୍ତ ଙ୍କ କ୍ଷୁଧା ଆହୁରି ବଢି ଚାଲିଛି। "ଆଘ୍ରାଣେ ଅର୍ଦ୍ଧ ଭୋଜନ"।
ଖେଚେଡି, ଡାଲମା, ସାଗ, ଵେସର ପରଷା ଗଲା। ମହାପ୍ରସାଦ ପାଇ ସମସ୍ତେ ଅତ୍ୟନ୍ତ ଖୁସି, ଦାଶ ବାବୁ ଙ୍କ ଶାଶୁ କହିଲେ, ମୋ ଜୀବ ଦଶାରେ କେବେ ଏ ଅମୃତ ପାଇଥାନ୍ତି କି ନାହିଁ, ତା କୃପା ରୁ ମୁଁ ଧନ୍ଯ ହେଲି। ପିଲା ମାନେ ମଧ୍ୟ ପ୍ରଫୁଲ୍ଲିତ, ଏତ ଅମୃତ ଆମେ ମଧ୍ଯ କେଵେ ଏହାର ସୁଯୋଗ ପାଇନଥିଲୁ। ସମସ୍ତେ ମହାପ୍ରଭୁ ଙ୍କ ଗୁଣଗାନ କରି ଚାଲିଛନ୍ତି।
ଏଭିତରେ ଦାଶ ଦମ୍ପତ୍ତି ଟିକିଏ ଗମ୍ଭୀର ଦିଶୁଥିଲେ। ମିତା ଦେବୀ ରଵିନନା ଆଡକୁ ଚାହିଁ ପଚାରିଲେ ଆପଣଙ୍କ ମୁହଁ ଆଉ ହସ ହସ ନାହିଁ, ଆମେ ଯେଉଁ କଥା ଭାବି ଵ୍ୟଥିତ ହେଉଛୁ, ଆପଣ କ'ଣ ସେୟା ଭାବୁଛନ୍ତି?
ହଁ, ସେତେଵେଳଠୁ ମନ ଭାରି ହୋଇଗଲା, ନିମନ୍ତ୍ରଣ ପତ୍ର ଟା ମୋଟା ଆଉ ଓଜନିଆ ଥିଲା, ଥାଳି ମଝିରେ ମଧ୍ୟ ଥିଲା ତଥାପି ତଳକୁ ଖସି ପଡ଼ିଲା ମୋତେ ବଡ ଆଶ୍ଚର୍ଯ୍ୟ ଲାଗୁଛି। ଆମ ଆଡୁ କିଛି କ'ଣ ତ୍ରୁଟି ରହିଗଲା କି ନନା, ବୋଲି ଦାଶ ବାବୁ ପଚାରିଲେ?
ଆଞା ଆମେ ଛାର ତାର ସେବକ, ସେ ଅନ୍ର୍ତୟାମି। ତା ମନରେ କ'ଣ ଥିବ କିଏ ଜାଣିବ। ତାକୁ ଆତ୍ମାର ସହ ଡାକନ୍ତୁ, ସବୁ ଠିକ୍ ସେ କରିବ। ରଵିନନା ସମସ୍ତ ଙ୍କୁ ଆର୍ଶୀବାଦ ଦେଇ ଵିଦା କଲେ।
ଦାଶ ବାବୁ ଗାଡି ରେ ଵସି ସ୍ତ୍ରୀ ଙ୍କ ଆଡକୁ ଚାହିଁ କହିଲେ, ଆମ ଆଡୁ କିଛି ତ୍ରୁଟି ରହିଗଲା ଵୋଧେ, ନହେଲେ ଆମ ନିମନ୍ତ୍ରଣ କୁ କାହିଁକି କାଳିଆ ଠାକୁର ଗ୍ରହଣ କଲେ ନାହିଁ, ପାଖରେ ପହଞ୍ଚି ମଧ୍ୟ ଆମେ ତାଙ୍କୁ ନିମନ୍ତ୍ରଣ ପତ୍ର ଟି ଦେଇ ପାରିଲୁ ନାହିଁ। ତମେ ଦେଖିଛ ତଳେ ପଡ଼ି ଗଲା ପରେ, ପୂଜାପଣ୍ଡା ସାସନ୍ତ ଆଖି ଠାରି ରଵି ନନା କୁ ନ ଉଠେଇବା ପାଇଁ ଠାରିଲେ।
ଏତିକି ଵେଳେ ଫୋନ୍ ଵାଜିଲା, ମାଂସ ଵେପାରି ଫୋନ କରିଛି। ଆସିଵା ଵେଳେ ଗାଡି ରେ ଵସିବା ଠୁ ଵଡ ଦାଣ୍ଡରେ ଓହ୍ଲାଇବା ପର୍ଯ୍ୟନ୍ତ ଦାଶ ବାବୁ ତା ସହିତ କଥାବାର୍ତ୍ତା ହୋଇ ଆସୁଥିଲେ। କୋଉଠୁ ଛେଳି ଆସିବ, କୋଉଠୁ କୁକୁଡ଼ା ଆସିବ, ପୁଣି କୋଇଠି ମାଛ ମରାହେବ, ଆମିଷ ଯେମିତି ନିଅଣ୍ଟ ନପଡେ, ଲୋକେ ଯେପରି ତାକୁ ନେଇ ନିନ୍ଦା ନ କରନ୍ତୁ। କଥା କିଛି ବାକି ଥିଲା, ତାକୁ କହି ଥିଲେ ଦି ଘଣ୍ଟା ଛାଡ଼ି ଫୋନ୍ କରିବୁ, ଏ ଭିତରେ ଆଠ ଘଣ୍ଟା ଵିତି ଯାଇଛି,ଆଉ ତାର ୧୨ ଟା ମିସ କଲ୍। ଫୋନ୍ ଉଠାଇବା ପାଇଁ ମନ ଵଳୁ ନଥାଏ।
ଦାଶ ବାବୁ ଏଵେ ଠିକ୍ ବୁଝି ପାରିଲେ ଵୋଧେ, ଫୋନ ଉଠାଇ ମାଂସ ବେପାରୀ କୁ କହିଲେ, ସବୁ ଆମିଷ ଜିନିଷ ନ ଦେବା ପାଇଁ, ଫୋନ୍ କାଟି ଦେଲେ। ମିତା ଦେଵୀ ଆଶ୍ଚର୍ଯ୍ୟ ହୋଇ ଚାହିଁ ଥାନ୍ତି, ଦାଶ ବାବୁ ଆଖି ଛଳ ଛଳ କରି କହିଲେ, ଏହା ହିଁ ମୋର ଭୁଲ ଥିଲା ଵୋଧେ, ସେ କ'ଣ ଚାହୁଁଥିବ ଶହ ଶହ ପ୍ରାଣୀ କୁ ମାରି ଭୋଜି ରେ ଯୋଗ ଦେବ ବୋଲି?
ସେଥି ପାଇଁ ଆମ ନିମନ୍ତ୍ରଣ କୁ ଗ୍ରହଣ କଲାନି।
ମୁଁ କାଲି ଆଉ ଥରେ ଏକା ଆସିଵି ,ନୂଆ ନିମନ୍ତ୍ରଣ ନେଇ।
ଜୟ ଜଗନ୍ନାଥ
ଦେବେନ୍ଦ୍ର ରଥ
ପୁରୀ।